30 April 2017

ODIYA MINI STORY(କୃଷ୍ଣଚୁଡ଼ା)



ଲିଙ୍ଗରାଜ ତୁମେ ମନେ ପଡ !
ଲିଙ୍ଗରାଜ ହଉଚି ତାର ନାମ ! ଦେଢକୋଟି ଟଙ୍କା ଘରର ମାଳି,ଚୌକିଦାର ଟହଲିଆ ! ତାରସହିତ ମୋର ବନ୍ଧୁତ୍ୱ ହୁଏ ପାଞ୍ଚ ବର୍ଷ ତଳେ !କୋଟିପତିଙ୍କ ଘରର ନାମ ମୁଁ ମୋ ସ୍ତ୍ରୀ ଦେଇଥିଲୁଭୁତ କୋଠି’ ! କିଏ ରୁହନ୍ତି କଣ କରନ୍ତି, ସକାଳୁ କୁଆଡେ ବାହାରିଯାନ୍ତି କେହି କହିପାରନ୍ତି ନାହିଁ !କାହାରୀସହିତ ତାଙ୍କର ସମ୍ପର୍କ ନଥାଏ !ଲିଙ୍ଗରାଜ ଆମ ସଜନା ଗଛକୁ  ଜଗିଥାଏ ! ଛୁଇଁ ଶାଗ ପଚାରି ଗଛରୁ ନିଏ ! ଲିଙ୍ଗରାଜ ସନ୍ଧ୍ୟା ହେଲେ ଫାଟକ ପାଖରେ ଜାଗିବସିଥାଏ ! ଟିକେ ଡେରିହେଲା ତ ମାଲିକଙ୍କ ଗାଳି ! କାରର ହଣ୍ଣ ଏତେ ଜୋରରେ ଦିୟନ୍ତି ଯେ ଆମଘର କାନ୍ଥ ହଲିଯାଏ ! କୁକୁର ରିଙ୍ଗ ବିରକ୍ତ ହୋଇ ଭୁକେ ! ଥରେ ଦୁଇଥର ବନ୍ଧୁତ୍ୱ କରିବା ପାଇଁ ଚେଷ୍ଟା କରିଥିଲି  କିନ୍ତୁ ବିଫଳ ! ବୋଧ ହୁଏ ମୁଁ ମୋର ଅଉକାତ ଭୁଲିଯାଇଥିଲି, ଯେ ସିଏ ଦେଢକୋଟି ଟଙ୍କାର ଘରର ମାଲିକ!
ସେଇ ଲିଙ୍ଗରାଜ ପାଖଗଳିରେ କୃଷ୍ଣଚୂଡ଼ା , କଦମ୍ବ କନିଅର ଗଛ ପୋତିଲା,ଅନ୍ୟମାନେ ତା ଉପରେ ବିରକ୍ତ ହୋଉଥାନ୍ତି କାହିଁକି ଏସବୁ ଲଗଉଛୁ ,ରାସ୍ତାରେ ଘରସାମନାରେ ପତ୍ର ପଡିବ ! ମୁଁ କେବଳ ତାକୁ ଉତ୍ସାହିତ କରୁଥିଲି  ମଝିରେ ମଝିରେ ଚା ପାଇଁ ପଇସା ଦଉଥିଲି ! ବର୍ତମାନ ସବୁ କୃଷ୍ଣଚୂଡ଼ା ଗଛ ବଢି ଫୁଲରେ ଭର୍ତି କିନ୍ତୁ ଲିଙ୍ଗରାଜ ? ଦିନେ ହଟାତ ଶୁଣିବାକୁ ପାଇଲି ଲିଙ୍ଗରାଜ ଆଉ ନାହିଁ ! ରକ୍ତଚାପର ପ୍ରକୋପରେ ମସ୍ତିଷ୍କର ଶୀରାଫାଟି ଚାଲିଗଲା! କୁଆଡେ ମୁଁ  ଦେଇଥିବା ନୂଆ ଧୋତିଟାକୁ ପିନ୍ଧାଇ ଶ୍ମସାନକୁ ନେଇଯାଇଥିଲା ତା ପୁଅ  ! ଆଜି ସନ୍ଧ୍ୟାରେ ଛାତରେ ବୁଲିବା ସମୟରେ ଫୁଲଭରା କୃଷ୍ଣଚୁଡ଼ାର ଡାଳ ସତେ ଯିମିତି ମୋତେ କହୁଥାନ୍ତି -ଲିଙ୍ଗରାଜକୁ ମନେ ରଖିଛତ  ?
 ସଂଜୟ କୁମାର ଶତପଥି

No comments:

Post a Comment