18 July 2017

NO ENTRY



ଭୁବନେଶ୍ୱର: ଶ୍ରୀମନ୍ଦିରରେ ପୂଜିତ ଶ୍ରୀ ବିଗ୍ରହମାନଙ୍କ ଦର୍ଶନ ଲାଗି ରହିଛି ଅନେକ ବ୍ୟବସ୍ଥା ଓ ଅନେକ ପ୍ରତିବନ୍ଧକ । ପୂର୍ବ ସମୟରେ ପ୍ରଥା ଲାଗି ବା ବାରମ୍ବାର ବିଧର୍ମି ଆକ୍ରମଣ ଏହାର କାରଣ ହୋଇଥାଇପାରେ, ମାତ୍ର ଏହି ପ୍ରସଙ୍ଗ ସବୁବେଳେ ଓଡ଼ିଶାକୁ ଚର୍ଚ୍ଚିତ କରି ରଖି ଆସିଛି। ଭାରତ ତଥା ଆର୍ନ୍ତଜାତୀୟ ସ୍ତରରେ ଏମିତି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଦେଶ ବିଦେଶର ବହୁ ନାଁ କମେଇଛନ୍ତି  ହେଲେ ଏହି ତଥାକଥିତ ବଡଲୋକଙ୍କ ପାଇଁ ଦିନେ ବଡ଼ଦେଉଳରେ ପ୍ରବେଶ ନିଷେଧ ହୋଇଥିଲା ସେ ଘଟଣା ଆଜି ବି ଆଶ୍ଚର୍ଯ୍ୟାନ୍ଵିତ କରିବ ଅନେକଙ୍କୁ । ଯେଉଁମାନେ ଦେଶର ସର୍ବୋଚ୍ଚ ସ୍ଥାନରେ ରହିବା ସତ୍ତ୍ୱେ ଆଗ୍ରହ କରି ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରି ନାହାନ୍ତି ।  ଆସନ୍ତୁ ଜାଣିବା କ’ଣ କାରଣ ଥିଲା ଯେଉଁଥିପାଇଁ ସେମାନେ  ସିଂହଦ୍ୱାରା ଡେଇଁପାରି ନ ଥିଲେ ।

ଜାତିର ପିତା ମହାତ୍ମା ଗାନ୍ଧୀ- ୧୯୩୪ରେ ଜାତିର ପିତା ମହାତ୍ମା ଗାନ୍ଧୀ ନିଜର ଅନେକ ସମର୍ଥକଙ୍କ ସହ ପୁରୀ ଆସିଥିଲେ । ତାଙ୍କ ସହ ଥିଲେ ଅନେକ ମୁସଲମାନ୍‌ ଓ ଖ୍ରୀଷ୍ଟିଆନ୍‌ ସମର୍ଥକ । ସେମାନଙ୍କ ସହ ରାଜ୍ୟର କିଛି ଦଳିତ ଲୋକେ ମଧ୍ୟ ସାମିଲ ଥାନ୍ତି । ଏହି ସମର୍ଥକଙ୍କ ସହ ବାପୁଜୀ ମନ୍ଦିର ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ତାଙ୍କୁ ଅନୁମତି ମିଳି ନ ଥିଲା । ଫଳରେ ସେ ନିରାଶ ହୋଇ ଫେରି ଯାଇଥିଲେ । ସିଂହଦ୍ୱାରାଠାରୁ ଆରମ୍ଭ ହୋଇଥିଲା ‘ହରିଜନ ପଦଯାତ୍ରା’ । ଏହା ସତ୍ତ୍ୱେ ତାଙ୍କୁ ମିଳି ନ ଥିଲା ଶ୍ରୀମନ୍ଦିର ଦର୍ଶନର ଅନୁମତି ।

ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁର- ନୋବେଲ ବିଜେତା ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁର ମଧ୍ୟ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ ରହିଥିଲେ । ପାର୍ଲି ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ କେତେକ ଅନିର୍ବାର୍ଯ୍ୟ କାରଣ ଲାଗି ଜାତି ଭିତ୍ତିକ ପ୍ରତିବନ୍ଧକ ଯୋଗୁ ତାଙ୍କୁ ଶ୍ରୀମନ୍ଦିର ଦର୍ଶନର ଅନୁମତି ମିଳି ନ ଥିଲା । 

ଭାରତରତ୍ନ ବି.ଆର୍‌. ଆମ୍ବେଦକର- ଭାରତ ସମ୍ବିଧାନର ପ୍ରଣେତା ତଥା ଦଳିତମାନଙ୍କ ତ୍ରାଣକର୍ତ୍ତା ବୋଲାଉ ଥିବା ବିଶିଷ୍ଟ ଶିକ୍ଷାବିତ୍‌ ବାବାସାହେବ ଆମ୍ବେଦକର ମଧ୍ୟ ଜଗନ୍ନାଥ ମନ୍ଦିର ମଧ୍ୟରେ ପ୍ରବେଶ କରିପାରି ନାହାନ୍ତି । ସ୍ୱାଧୀନତାର ଠିକ୍‌ ପୂର୍ବରୁ ୧୯୪୭ ମସିହା ଜୁଲାଇ ମାସରେ ସେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଆସିଥିଲେ । ମାତ୍ର ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିବା ଏହି ମହାନ୍‌ ବ୍ୟକ୍ତିଙ୍କୁ ସେ ସମୟରେ ମନ୍ଦିର ପ୍ରବେଶର ଅନୁମତି ମିଳି ନ ଥିଲା । 

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ- ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କୁ ମଧ୍ୟ ଜଗନ୍ନାଥ ମନ୍ଦିର ପ୍ରବେଶର ଅନୁମତି ମିଳି ନ ଥିଲା । ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଇନ୍ଦିରା ଫିରୋଜ ଗାନ୍ଧୀ ନାମକ ଜଣେ ପାର୍ସିଙ୍କୁ ବିବାହ କରିଥିବାରୁ ତାଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ଅନୁମତି ମିଳି ନ ଥିଲା । ୧୯୮୪ରେ ସେ ଦିଅଁ ଦର୍ଶନ ପାଇଁ ଆସି ନିରାଶ ହୋଇଥିଲେ । ରାସ୍ତା ପାର୍ଶ୍ୱରେ ଥିବା ରଘୁନନ୍ଦନ ଲାଇବ୍ରେରୀ ଛାତ ଉପରୁ କେବଳ ଶ୍ରୀମନ୍ଦିରର ଦୃଶ୍ୟ ଅବଲୋକନ କରି ତାଙ୍କୁ ଦିଲ୍ଲୀ ଫେରିବାକୁ ପଡିଥିଲା । ଏହି ଘଟଣା ସେ ସମୟରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା ।   

ବ୍ରିଟିସ୍‌ ଭାଇସ୍‌ରଏ  ଲର୍ଡ କର୍ଜନ- ୧୮୮୯ରୁ ୧୯୦୫ ପର୍ଯ୍ୟନ୍ତ ଭାରତର ଭାଇସ୍‌ରଏ ଥିବା ଲର୍ଡ କର୍ଜନ ୧୯୦୦ରେ ପୁରୀ ଦର୍ଶନ ଅଭିଳାସ ନେଇ ଏଠାକୁ ଆସିଥିଲେ । ସେ ସମୟରେ ବ୍ରିଟିସ୍‌ ସରକାରଙ୍କ ସର୍ବୋଚ୍ଚ ପଦବିରେ ଥିବା ଏହି ବ୍ୟକ୍ତି ଜଣକ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପର୍କିତ ବିଭିନ୍ନ ଆଶ୍ଚର୍ଯ୍ୟ ସମ୍ପର୍କରେ ଗବେଷଣା ପାଇଁ ମନ ବଳାଇଥିଲେ ସୁଦ୍ଧା ବିଦେଶୀ ହୋଇଥିବାରୁ ତାଙ୍କୁ ମନ୍ଦିର ପ୍ରବେଶର ଅନୁମତି ଦିଆଯାଇ ନ ଥିଲା ।

ଥାଇଲାଣ୍ଡ ରାଜକୁମାରୀ ମହାଚକ୍ରି ଶ୍ରୀନାଧରୋନ୍‌- ୨୦୦୫ରେ ଥାଇଲ୍ୟାଣ୍ଡ ରାଜକୁମାରୀ ମହାଚକ୍ରୀ ଶ୍ରୀନାଧରୋନ୍‌ ପୁରୀ ଆସିବା ଅବସରରେ ଠାକୁର ଦର୍ଶନର ଅଭିଳାସ ପୋଷଣ କରିଥିଲେ । ମାତ୍ର ବୌଦ୍ଧ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ରାଜକୁମାରୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯାଇ ନ ଥିଲା।

ଏଲିଜାବେଥ୍‌ ଜିଗ୍‌ଲର- ୨୦୦୬ରେ ସୁଇଜରଲ୍ୟାଣ୍ଡ ବାସିନ୍ଦା ଏଲିଜାବେଥ୍‌ ଜିଗଲର ନାମ୍ନୀ ଜଣେ ବିଦେଶୀ ଭକ୍ତ ମହାପ୍ରଭୁଙ୍କ ଭକ୍ତିରେ ଟାଣିହୋଇ ପୁରୀରେ ପହଞ୍ଚଥିଲେ । ଜଗନ୍ନାଥଙ୍କ ଉପରେ ତାଙ୍କର ଅଚଳ ଭକ୍ତି ଯୋଗୁ ସେ ଶ୍ରୀମନ୍ଦିର ପ୍ରଶାସନକୁ ୧କୋଟି ୭୮ ଲକ୍ଷ ଟଙ୍କାର ଏକ ଦାନ ଦେଇଥିଲେ । ଶ୍ରୀମନ୍ଦିର ଇତିହାସରେ ଏତେ ବଡ ପରିମାଣର ଦାନ ଦେଇଥିବା ସେ ହେଉଛନ୍ତି ଏକମାତ୍ର ଦାତା(ଏକକ) । ଏହା ପରେ ମଧ୍ୟ ତାଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳି ନ ଥିଲା ।




No comments:

Post a Comment